ଦକ୍ଷତା ବିକାଶ ଅନେକ ଛାତ୍ରୀଛାତ୍ର ସେମାନଙ୍କ ଆର୍ଥିକ ସମସ୍ୟାକୁ ନେଇ ବିଚଳିତ ଥାଆନ୍ତି । ହଷ୍ଟେଲ କିମ୍ବା ମେସ୍ ଭଡା, କଲେଜ୍ ଫି ତଥା ବହି କିଣିବା ଆଦି ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏପରି ମଧ୍ୟ ଅନେକ ଛାତ୍ରୀଛାତ୍ର ଅଛନ୍ତି ଯେଉଁମାନେ ମାତାପିତାଙ୍କୁ ଆର୍ଥିକ ଚାପ ନ ଦେଇ ଅଧାରୁ ପାଠପଢା ବନ୍ଦ କରିଦିଅନ୍ତି । ଭାରତରେ ଅଧିକାଂଶଛାତ୍ରୀଛାତ୍ରଙ୍କ ଲାଗି ଉଚ୍ଚ ଶିକ୍ଷା କଳ୍ପନା ମଧ୍ୟର ସୀମିତ ରହିଯାଉଛି । ପ୍ରତିଭା ଥାଇ ମଧ୍ୟ ସେମାନଙ୍କୁ ସୁଯୋଗ ମିଳୁନାହିଁ । ଏହା ନିଶ୍ଚିତ ଭାବେ ସତ । କିନ୍ତୁ ଏହା ଜାଣିବା ଦରକାର ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ଶିଳ୍ପ ତଥା ଆଇଟିଇଏସ୍ ର ପରିସର ବ୍ୟାପକ ହେବା ପରେ ଛାତ୍ରୀଛାତ୍ର ତଥା ଯୁବ ପ୍ରଫେସନାଲମାନେ ଏ କ୍ଷେତ୍ରରେ କାର୍ଯ୍ୟ କରି କେବଳ ଯେ ଭଲ କମାଇପାରିବେ ତାହା ନୁହେଁ ନିଜ ନିଜର ଦକ୍ଷତା ବିକାଶ ମଧ୍ୟ କରିପାରିବେ । ପାର୍ଟ ଟାଇମ୍ ଜବ୍ କନ୍ ସେପ୍ଟକୁ ଆପଣାଇ ଛାତ୍ରୀଛାତ୍ରମାନେ ପାଠପଢା ସହ କିଛି ସମୟ ଏଥିରେ ବ୍ୟୟ କରି ନିଜର ଭରଣପୋଷଣ କରିବା ସହ ମାତାପିତାଙ୍କ ଆର୍ଥିକ ବୋଝକୁ ଲାଘବ କରିପାରିବେ । ଆଜିକାଲି ସମସ୍ତ ଷ୍ଟ୍ରିମ୍ ର ଛାତ୍ରୀଛାତ୍ରମାନେ ଏ କ୍ଷେତ୍ରରେ ଆଗେଇ ପାରିବେ । ପାଠପଢା ସହ ନିଜ ମଧ୍ୟରେ ପେସାଗତ ମନୋବୃତ୍ତି ସୃଷ୍ଟି କରିପାରିବେ । ପେସାଗତ ମନୋବୃତ୍ତ ମ୍ୟାନେଜ୍ ମେଣ୍ଟ କିମ୍ବା ଇଞ୍ଜିନିୟରିଂ କଲେଜ୍ ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ସଂନ୍ଧ୍ୟା ସମୟରେ ଯଥେଷ୍ଟ ସମୟ ଫାଙ୍କା ପାଇଥାନ୍ତି । କ୍ଲାସ ସରିବା ପରେ ଏମାନେ ନିଜ ମନ ମୁତାବକ କ୍ଷେତ୍ରରେ ପାର୍ଟ ଟାଇମ୍ ଚାକିରି କରି କିଛି ଅର୍ଥ ଉପାର୍ଜନ କରିପାରିବେ । ଏହାକୁ ନିଜ ପାଠପଢାରେ ଖର୍ଚ୍ଚ କରି ସେମାନେ ମାତାପିତାଙ୍କୁ ସାହାଯ୍ୟ କରିପାରିବେ । ଜଣେ ମାର୍କେଟିଂ ଛାତ୍ରୀ କିମ୍ବା ଛାତ୍ର କୌଣସି ଆଡ଼୍ ଭର୍ଟାଇଜିଂ କମ୍ପାନୀରେ ଯୋଗ ଦେଇପାରିବେ । ବିଜ୍ଞାପନଗୁଡିକର ଡ୍ରାଫ୍ଟି ଏବଂ ଡିଜାଇନିଂ ଟ୍ରିକ୍ ଏମାନେ ଶିଖିବାକୁ ପାଇବେ । ବିଜ୍ଞାପନକୁ ଅଧିକ ଆକର୍ଷଣୀୟ କରିବା ଲାଗି ସେମାନେ ଜିଙ୍ଗଲ ରାଇଟିଂ ଶିଖିପାରିବେ । ସହରଗୁଡିକରେ ବହୁ ଜଣାଶୁଣା ଆଡ୍ ଭର୍ଟାଇଜିଂ ଏଜେନ୍ସି ତଥା କମ୍ପାନୀ ରହିଛନ୍ତି, ଯେଉଁମାନେ କଣ୍ଟେଣ୍ଟ ତଥା ଜିଙ୍ଗଲ୍ ରାଇଟିଂ ପାଇଁ ଫ୍ରେଶରମାନଙ୍କୁ ଖୋଜିଥାନ୍ତି । ସେମାନଙ୍କୁ ଭଲ ଦରମା ମଧ୍ୟ ଦେଇଥାନ୍ତି । ମାର୍କେଟିଂ ଛାତ୍ରୀଛାତ୍ରଙ୍କ ଲାଗି ଏହା ଏକ ୱିନ୍ ୱିନ୍ ବ୍ୟାପାର । ସେମାନେ ଏହି କମ୍ପାନୀଗୁଡିକରେ ଯୋଗ ଦେଇ ଟ୍ରେଡ୍ ତଥା ଟ୍ରିକ୍ ଶିଖିବା ସହ ନିଜ ମଧ୍ୟରେ ଆତ୍ମବିଶ୍ଵାସ ସ୍ତର ବୃଦ୍ଧି କରିପାରିବେ । ଭବିଷ୍ୟତରେ ପାଠପଢା ସରିବା ପରେ ଫୁଲ ଟାଇମ୍ ଚାକିରିରେ ଯୋଗଦେବା ପରେ ଏହି ଆତ୍ମବିଶ୍ଵାସ ସେମାନଙ୍କ କାର୍ଯ୍ୟରେ ଆସିଥାଏ । ଆକାଉଣ୍ଟିଂ, ଅଡିଟିଂ ଫାର୍ମରେ ଯୋଗ ଦେଇପାରିବେ । ନିଜ ଖର୍ଚ୍ଚ ତୁଲାଇବା ସହ ସେ କାର୍ଯ୍ୟକୁ ନେଇ ଅଭ୍ୟସ୍ତ ହୋଇଯିବେ । ହୁଏତ ଅଧିକ ବେତନ ନ ମିଳିପାରେ । କିନ୍ତୁ ଏଥିରୁ ହାସଲ କରିଥିବା ଅଭିଜ୍ଞତା ଛାତ୍ରୀଛାତ୍ରଙ୍କୁ ଆଗକୁ ଏକ ଭଲ ଚାକିରିଟିଏ ଯୋଗାଇ ଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏମ୍.ଟେକ୍/ ବି.ଟେକ୍/ ଏମ୍ସିଏ/ବିସିଏ ବ୍ୟାକ୍ ଗ୍ରାଉଣ୍ଟ ଥିବା ଛାତ୍ରଛାତ୍ରୀମାନେ ହାର୍ଡ଼ୱେର ତଥା ସିଷ୍ଟମ୍ ଆଡ୍ ମିନ୍ ସମ୍ବନ୍ଧୀୟ କାର୍ଯ୍ୟ କରିପାରିବେ । ଏମାନେ କମ୍ପ୍ୟୁଟର ରିପେୟାରିଂ ତଥା ନେଟ୍ୱର୍କିଂ ସର୍ଭିସ୍ ଆଦି କାର୍ଯ୍ୟ ଆରମ୍ଭ କରିପାରିବେ । ଫାଙ୍କା ସମୟକୁ ୟାଡୁସ୍ୟାଡୁ କାର୍ଯ୍ୟରେ ବ୍ୟୟ ନ କରି କ୍ଲାଏଣ୍ଟମାନଙ୍କୁ ଭେଟି ସେମାନଙ୍କୁ ସମସ୍ୟାର ସମାଧାନ କରି କିଛି ପଇସା ରୋଜଗାର କରିହେବ । ଜଣେ ଆଇନ ବିଭାଗ ଛାତ୍ରୀ କିମ୍ବା ଛାତ୍ର ହୋଇଥିଲେ ଆପଣ କୌଣସି ଆଇନ୍ ସଂସ୍ଥା କିମ୍ବା କୌଣସି ବରିଷ୍ଠ ଓକିଲଙ୍କ କାର୍ଯ୍ୟାଳୟରେ ଯୋଗ ଦେଇପାରିବେ । ଖାଲି ସମୟକୁ ବ୍ୟବାହର କରି ପ୍ରାୟୋଗିକ ଜ୍ଞାନ ଆହରଣ କରିପାରିବେ । ଏହା ଆପଣଙ୍କୁ ନିଜର ଏକ ଲିଗାଲ କନ୍ସଲ୍ଟାନ୍ସି ଫାର୍ମ ଖୋଲିବାରେ ସହାୟକ ହେବ । ଆପଣ ଚାହିଁଲେ କୌଣସି କମ୍ପାନୀରେ ଆଇନ ଅଧିକାରୀ କିମ୍ବା ଲିଗାଲ ଅଫିସର ଭାବେ ଯୋଗ ଦେଇପାରିବେ । ଉକ୍ତ ସଂସ୍ଥାରେ ଯୋଗ ଦେଇ ଆପଣ ଷ୍ଟାଇପେଣ୍ଡ ପାଇବା ସହ ପେସା ସଂକ୍ରାନ୍ତୀୟ ଅଭିଜ୍ଞତା ହାସଲ କରିପାରିବେ । ଆପଣଙ୍କ ନିକଟରେ ଯଦି ଏକ ଭଲ କ୍ୟାମେରା କିମ୍ବା କ୍ୟାମେରା ମୋବାଇଲ ଥାଏ ତା’ହେଲେ ଆପଣ ଜଣେ ଭଲ ଫଟୋ ଜର୍ନାଲିଷ୍ଟ ହୋଇପାରିବେ । ପାଠପଢା ସହ ଏହାକୁ ପାର୍ଶ୍ଵରେ ରଖି ଆପଣ କିଛି ଅର୍ଥ ରୋଜଗାର କରିପାରିବେ। ଇନ୍ ଷ୍ଟାଗ୍ରାମ୍, ଫ୍ଲିକ୍ ଆର୍,ଗୁଗୁଲ୍, ୟାହୁ ଭଳି ଫଟୋ ଶେୟାରିଂ କମ୍ପାନୀ ସହ ୟୁଟ୍ୟୁବ୍ ଭଳି ଭିଡିଓ ତଥା ଶର୍ଟ ଫିଲ୍ମ କଣ୍ଟେଣ୍ଟ ଏକ୍ଜିବ୍ୟୁଟର ଅଛନ୍ତି, ଯେଉଁଠାରେ ଆପଣ ଫଟୋ କିମ୍ବା ଭିଡିଓ ଶେୟାର କରିପାରିବେ । ଆପଣଙ୍କ ଦ୍ଵାରା ଉଠାଯାଇଥିବା ଫଟୋ କିମ୍ବା ଭିଡିଓ ଯଦି ଲୋକମାନଙ୍କୁ ଆକୃଷ୍ଟ କରେ ତା’ହେଲେ ଆପଣଙ୍କୁ ସେମାନେ ଭିଜିଟ୍ ପିଛା ଡଲାର ଆକାରରେ ପେମେଣ୍ଟ କରିଥାନ୍ତି । ଅନ୍ଲାଇନ୍ ଡାଟା ଏଣ୍ଟ୍ରି କାର୍ଯ୍ୟ କିମ୍ବା କଣ୍ଟେଣ୍ଟ ରାଇଟିଂ କ୍ଷେତ୍ରରେ ଅନେକ ସମୟରେ ଦେଖାଯାଏ ଯେ ଦିଆଯାଇଥିବା କାର୍ଯ୍ୟ ସମାପ୍ତି ପରେ କେତେକ ନକଲି ସଂସ୍ଥା ଆପଣଙ୍କୁ ପାଉଣା ଦେଇ ନ ଥାନ୍ତି। ଏସବୁ କ୍ଷେତ୍ରରେ ସାବଧାନ ରହିବା ଦରକାର । ସଂସ୍ଥା ବିଷୟରେ ଯାଞ୍ଚ ପରଖ କରିବା ପରେ ଯାଇ ସେଠାରେ କାର୍ଯ୍ୟ କରିବା ଦରକାର । ଯଦି ଜଣେ ଫିଲ୍ଡ କିମ୍ବା ସେଲ୍ସ ତଥା ମାର୍କେଟିଂ ଜବ୍ ଚାହୁଁଥାନ୍ତି ସେମାନଙ୍କ ପାଇଁ ଢେର ସୁଯୋଗ ରହିଛି । ସର୍ଭେଠାରୁ ଆରମ୍ଭ କରି ସେ ବୀମା, ମ୍ୟୁବୁଆଲ ଫଣ୍ଡ ଆଦିର ପ୍ରତ୍ୟକ୍ଷ ବିକ୍ରି କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ହୋଟେଲ ମ୍ୟାନେଜ୍ ମେଣ୍ଟ ଛାତ୍ରଛାତ୍ରୀ ହୋଇଥିଲେ ଆପଣ କୌଣସି ଇଭେଣ୍ଟ ମ୍ୟାନେଜ୍ ମେଣ୍ଟ କମ୍ପାନୀ କିମ୍ବା ଏକ ଜଣାଶୁଣା କ୍ୟାଟେରିଂ ସଂସ୍ଥାରେ ଯୋଗ ଦେଇପାରିବେ । ହାଜର ହାଜର କାର୍ଯ୍ୟ ରହିଛି ଯାହାକୁ ଛାତ୍ରୀଛାତ୍ରମାନେ ପାର୍ଟଟାଇମ୍ ଭାବେ ନେଇ କିଛି ଅର୍ଥ ରୋଜଗାର କରିପାରିବେ। ନ୍ୟୁଜ୍ ରିଡ଼ର, ରେଡିଓ ଜକି, ଡିସ୍କୋ ଜକି, ଷ୍ଟେଜ୍ ଆର୍ଟିଷ୍ଟ ତଥା ବିୟୁଟି କେୟାର ଆଦି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ପାଠପଢା ପରେ ଦିନର ମାତ୍ର କିଛି ସମୟ ଏଥିରେ ବ୍ୟୟ କରି ଆପଣ ଜଣେ ଦାୟିତ୍ଵସମ୍ପନ୍ନ ତଥା ଆଦର୍ଶ ଛାତ୍ର ଭାବେ ମାତାପିତାଙ୍କ ସମସ୍ୟାକୁ କମାଇପାରିବେ । ତେବେ ମନେ ରଖନ୍ତୁ ସାମାନ୍ୟ କିଛି ଅର୍ଥ ଲାଗି ପାଠପଢାରୁ ଲକ୍ଷ୍ୟଚ୍ୟୁତ କରୁଥିବା ଚାକିରି କ୍ଷେତ୍ରରେ ମନୋନିବେଶ କରି ଭବିଷ୍ୟତକୁ ଆଦୌ ଖରାପ କରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଗକୁ ବଢିବା ଉଚିତ । ଆଧାର – ଦୈନିକ ଧରିତ୍ରୀ