ଶିଶୁଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଛଅରୁ ଚଉଦ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ନିମନ୍ତେ ଏକ ଅଧିନିୟମ । ଭାରତୀୟ ସାଧାରଣନ୍ତ୍ରର 60 ତମ ବର୍ଷରେ ସଂସଦ ଦ୍ଵାରା ନିମ୍ନମତେ ବିଧାନ କରାଗଲା :- ପ୍ରାକ୍ କଥନ ଏହି ଅଧିନିୟମକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଶିଶୁମାନଙ୍କ ଅଧିକାର ଅଧିନିୟମ,2009 କୁହାଯାଇପାରେ । କେବଳ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଛାଡି ଭାରତର ସବୁଆଡେ ଏହା ଲାଗୁ ହେବ । କେନ୍ଦ୍ର ସରକାର ସରକାରୀ ରାଜପତ୍ରରେ ବିଜ୍ଞପ୍ତି ଦ୍ଵାରା ଯେଉଁଦିନ ସ୍ଥିର କରିବେ ଏହା ସେହି ଦିନଠାରୁ କାର୍ଯ୍ୟକାରୀ ହେବ। ଏହି ଅଧିନିୟମରେ ସଂଯୋଜିତ ପ୍ରସଙ୍ଗଗୁଡିକ ଭିନ୍ନ ଅର୍ଥ ଆବଶ୍ୟକ କରୁନଥିଲେ । “ଉପଯୁକ୍ତ ସରକାର” ଅର୍ଥ – କେନ୍ଦ୍ର ସରକାରଙ୍କ ଦ୍ଵାରା ବା ବିଧାନ ସଭା ନଥିବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧୀନ ବା ନିୟନ୍ତ୍ରିତ ବିଦ୍ୟାଳୟ କ୍ଷେତ୍ରରେ,କେନ୍ଦ୍ର ସରକାର; ଉପଖଣ୍ଡ (1) ରେ ଦିଆଯାଇଥିବା ବିଦ୍ୟାଳୟ ଗୁଡିକ ବ୍ୟତୀତ ଅନ୍ୟ ବିଦ୍ୟାଳୟ ଯେଉଁ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବ, ସେ କ୍ଷେତ୍ରରେ – ଗୋଟିଏ ରାଜ୍ୟରେ, ରାଜ୍ୟ ସରକାର; ବିଧାନ ସଭାଥିବା କେନ୍ଦ୍ର ଶାସିତ ଅଞ୍ଚଳରେ ସେହି କେନ୍ଦ୍ର ଶାସିତ ଅଞ୍ଚଳର ସରକାର; “ମୁଣ୍ଡପିଛା ଦେୟ” ଅର୍ଥାତ୍ ବିଦ୍ୟାଳୟ ଦ୍ଵାରା ଅଧିସୂଚୀତ ହୋଇଥିବା ଦେୟକୁ ଛାଡି ଅନ୍ୟ କୌଣସି ପ୍ରକାରର ଦେୟ କିମ୍ବା ଦାନ କିମ୍ବା ଅର୍ଥ ଦାବୀ; “ଶିଶୁ” ଅର୍ଥାତ୍ ଛଅରୁ ଚଉଦ ବର୍ଷ ବୟସର ବାଳକ କିମ୍ବା ବାଳିକା; “ଅସୁବିଧା ଭୋଗ କରୁଥିବା ଶ୍ରେଣୀର ଶିଶୁ” ଅର୍ଥାତ୍ ଅନୁସୂଚିତ ଜାତି ଅନୁସୂଚିତ ଉପଜାତି, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ କିମ୍ବା ଏହିପରି ଅନ୍ୟାନ୍ୟ ଶ୍ରେଣୀ ଯେଉଁମାନଙ୍କର ସାମାଜିକ, ସାଂସ୍କୃତିକ, ଆର୍ଥିକ, ଭୌଗୋଳିକ, ଭାଷାଗତ, ଲିଙ୍ଗଗତ କିମ୍ବା ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚନା ମାଧ୍ୟମରେ ସ୍ଥିରୀକୃତ କରାଯାଇଥିବା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ ଅସୁବିଧା ରହିଛି; “ଦୁର୍ବଳ ଶ୍ରେଣୀର ଶିଶୁ” ଅର୍ଥାତ୍ ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚନା ମାଧ୍ୟମରେ ସ୍ଥିରୀକୃତ କରାଯାଇଥିବା ନ୍ୟୂନତମ ସୀମାଠାରୁ ବାର୍ଷିକ ଆୟ କମ୍ ଥିବା ପିତାମାତା ବା ଅଭିଭାବକଙ୍କ ଶିଶୁ; “ପ୍ରାଥମିକ ଶିକ୍ଷା” ଅର୍ଥାତ୍ ପ୍ରଥମଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା; “ଅଭିଭାବକ” କହିଲେ ଗୋଟିଏ ଶିଶୁ କ୍ଷେତ୍ରରେ ସେହି ଶିଶୁର ଯତ୍ନ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଏ ଏବଂ ଏଥିରେ ତାର ପ୍ରାକୃତିକ ଅଭିଭାବକ, ନିଯୁକ୍ତ ଅଭିଭାବକ କିମ୍ବା କୋର୍ଟ କିମ୍ବା ଆଇନ୍ ଦ୍ଵାରା ଘୋଷିତ ଅଭିଭାବକ ଅନ୍ତର୍ଭୁକ; “ସ୍ଥାନୀୟ କର୍ତ୍ତୃପକ୍ଷ” ଅର୍ଥ ମହାନଗର ନିଗମ କିମ୍ବା ପୌର ପରିଷଦ, କିମ୍ବା ଜିଲ୍ଲା ପରିଷଦ କିମ୍ବା ନଗର ପଞ୍ଚାୟତ କିମ୍ବା ପଞ୍ଚାୟତ ଆଦି ଯେକୌଣସି ନାମରେ ନାମିତ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଉପରେ ପ୍ରଶାସନିକ ନିୟନ୍ତ୍ରଣର କ୍ଷମତା ଥିବା କର୍ତ୍ତୃପକ୍ଷ ଓ କୌଣସି ନଗର, ସହର ବା ଗ୍ରାମରେ ବିଦ୍ୟାଳୟର କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ପ୍ରଚଳିତ ଆଇନ ଦ୍ଵାରା କ୍ଷମତା ପ୍ରାପ୍ତ ହୋଇଥିବା ସଂସ୍ଥା; “ଶିଶୁ ଅଧିକାରଗୁଡିକର ସୁରକ୍ଷା ନିମନ୍ତେ ଜାତୀୟ ଆୟୋଗ” ଅର୍ଥ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଆୟୋଗ ଅଧିନିୟମ,2005 (2006ର ଅଧିନିୟମ 4) ର ଧାରା 3 ରେ ଶିଶୁ ଅଧିକାର ଗୁଡିକର ସୁରକ୍ଷା ନିମନ୍ତେ ଗଠିତ ଜାତୀୟ ଆୟୋଗ; ବିଜ୍ଞପ୍ତି” ଅର୍ଥ ସରକାରୀ ରାଜପତ୍ରରେ ପ୍ରକାଶିତ ବିଜ୍ଞପ୍ତି; “ପିତାମାତା” ଅର୍ଥ ପ୍ରାକୃତିକ କିମ୍ବା ସାବତ କିମ୍ବା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପିତାମାତା; “ଧାର୍ଯ୍ୟ” ଅର୍ଥ ଏହି ଅଧିନିୟମରେ ନିୟମ ଅନୁସାରେ ଧାର୍ଯ୍ୟ; “ଅନୁସୂଚୀ” ଅର୍ଥ ଏହି ଅଧିନିୟମରେ ସଂଯୁକ୍ତ କରାଯାଇଥିବା ଅନୁସୂଚୀ; “ବିଦ୍ୟାଳୟ” ଅର୍ଥ ପ୍ରାଥମିକ ଶିକ୍ଷା ଯୋଗାଉଥିବା କୌଣସି ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ଏବଂ ଏଥିରେ ଅନ୍ତର୍ଭୁକ୍ତ :- ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧିକାରୀ ଥିବା ବା ନିୟନ୍ତ୍ରିତ ବିଦ୍ୟାଳୟ; ଉପଯୁକ୍ତ ସରକାର ବା ଆଞ୍ଚଳିକ କର୍ତ୍ତୃପକ୍ଷଙ୍କଠାରୁ ସଂପୂର୍ଣ୍ଣଭାବେ ବା ଆଂଶିକ ଭାବେ ନିଜର ଖର୍ଚ୍ଚ ବାବଦରେ ସାହାଯ୍ୟ ବା ଅନୁଦାନ ହିସାବରେ ପାଉଥିବା ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ; ସ୍ଵତନ୍ତ୍ର ଶ୍ରେଣୀର ଏକ ବିଦ୍ୟାଳୟ ; ଏବଂ ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଏହାର ଖର୍ଚ୍ଚନିମନ୍ତେ କୌଣସି ପ୍ରକାର ସହାୟତା ବା ଅନୁଦାନ ପାଉନଥିବା ଏକ ଅଣସହାୟତା ପ୍ରାପ୍ତ ବିଦ୍ୟାଳୟ; ବିଦ୍ୟାଳୟ କ୍ଷେତ୍ରରେ “ସ୍ଵତନ୍ତ୍ର ଶ୍ରେଣୀ” କହିଲେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଭଳି ସ୍କୁଲକୁ ବା କୌଣସି ବିଶେଷ ଗୁଣ ଆଧାରରେ ଉପଯୁକ୍ତ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି ବଳରେ ପୃଥକ କରାଯାଇଥିବା ଅନ୍ୟ କୌଣସି ବିଦ୍ୟାଳୟକୁ ବୁଝାଯିବ; ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ’ ଅର୍ଥ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧିନିୟମ,2005 (2006 ର ଅଧିନିୟମ 4) ର ଧାରା 3 ଅନୁସାରେ ଶିଶୁମାନଙ୍କ ଅଧିକାର ସୁରକ୍ଷା ନିମନ୍ତେ ଗଠିତ ରାଜ୍ୟ ଆୟୋଗ । ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର