ପରମ୍ଫରା କ’ଣ

କୌଣସି ଜାତି , ସମ୍ପ୍ରଦାୟ, ଗୋଷ୍ଠୀ , ସମାଜ ଅଥବା ରାଷ୍ଟ୍ରରେ ପୁରୁଷାନୁକ୍ରମେ ଧାରାବାହୀକ ଭାବରେ ପ୍ରଚଳିତ ସୁସ୍ଥ ଲୋକରୀତି ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ , ଯାହାକୁ ପରବର୍ତ୍ତୀ ପିଢି ମଧ୍ୟ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ତାହାକୁ ପରମ୍ଫରା କୁହାଯାଏ । ସୁସ୍ଥ ପରମ୍ଫରା କୌଣସି ଉଗ୍ର ଧର୍ମାନ୍ଧତା, କୁସଂସ୍କାର ଅନ୍ଧ ଅନୁକରଣ ଅଥବା ସଂକୀର୍ଣ୍ଣ ସଂପ୍ରଦାୟିକତା ଉପରେ ଆଧାରିତ ନୁହେଁ ।

ଉଚ୍ଚ ପରମ୍ଫରା ଯୋଗୁଁ ଭାରତରେ ଏକ ସୁସ୍ଥ ସମାଜ ସଫଳ ଗଣତନ୍ତ୍ର , ଉଦାର ଧର୍ମ ଚେତନା , ଅନୁକରଣୀୟ ସଂସ୍କୃତି ଓ ଆଦର୍ଶ ଅର୍ଥନୀତି ପ୍ରତିଷ୍ଠିତ ହୋଇପାରିଛି । ବିଶ୍ଵର ପ୍ରାୟ ସମସ୍ତ ଦେଶରେ ଭାରତର ପରମ୍ଫରା ଆଦୃତ ହୋଇ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।

ସାମାଜିକ ପରମ୍ଫରା

(କ) ପରିବାର

ବୈଦିକ ଯୁଗରୁ ଭାରତରେ ଯୌଥ ପରିବାରର ପରମ୍ଫରା ପ୍ରଚଳିତ ହୋଇଆସୁଛି । ଏଭଳି ପରିବାର କେବଳ ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କ ସନ୍ତାନଙ୍କ ମଧ୍ୟରେ ସୀମିତ ନ ରହି, ଜେଜେବାପା , ଜେଜେମା, ବାପା, ମା , ବଡବାପା, ବଡମା, ଦାଦା ଖୁଡୀ ପୁଅ, ବୋହୁ , ପୁତୁରା , ପୁତୁରାବୋହୁ , ନାତି, ନାତୁଣୀଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ପୁଅ ବିବାହ କରିବା ପରେ ଅଲଗା ନ ରହି ସ୍ତ୍ରୀ ସହିତ ନିଜ ବାପା ମା, ଭାଇ , ଭଉଣୀଙ୍କ ସାଙ୍ଗରେ ମିଳିମିଶି ରହିଥାଏ । ଏହିଭଳି ଭାବରେ ସମଗ୍ର କୁଟୁମ୍ବ ଏକତ୍ର ରହିବାକୁ ଯୌଥ ପରିବାର କୁହାଯାଏ । ପାରିବାରିକ ସମ୍ପତ୍ତିରେ ରୋଜଗାର କରୁଥିବା ଓ ରୋଜଗାର ନ କରୁଥିବା ସମସ୍ତ ସଦସ୍ୟଜଙ୍କ ସମାନ ଭାଗ ଥାଏ । ପରିବାରର ସମସ୍ତ କାର୍ଯ୍ୟରେ ବରିଷ୍ଠତମ ସଦସ୍ୟ ନିଷ୍ପତ୍ତି ନେଇଥାନ୍ତି ।

(ଖ) ବିବାହ

ଭାରତରେ ବିବାହକୁ ପତି –ପତ୍ନୀଙ୍କର ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଛି । ଧର୍ମ ଦ୍ରୁଷ୍ଟିରୁ ଏହାକୁ ଏକ ପବିତ୍ର ଅନୁଷ୍ଠାନ ଭାବେ ଗ୍ରହଣ କରାଯାଇଛି । ଏହା ଏକ ସଂସ୍କାର ଏବଂ ସମସ୍ତଙ୍କ ଦ୍ଵାରା ନୀତିଗତ ଭାବେ ପାଳନୀୟ । ତେଣୁ ବିବାହକୁ ଏକ କର୍ତ୍ତବ୍ୟ ଭାବେ ବିବେଚନା କରାଯାଇଛି । ସନ୍ତାନମାନଙ୍କ ପାଇଁ ସାଥି ଖୋଜିବା ପିତାମାତାଙ୍କର ନୈତିକ କର୍ତ୍ତବ୍ୟ ଭାବେ ବିବେଚନା କରାଯାଇଛି । ସନ୍ତାନମାନଙ୍କ ପାଇଁ ସାଥି ଖୋଜିବା ପିତାମାତାଙ୍କର ନୈତିକ କର୍ତ୍ତବ୍ୟ ଏବଂ ସେମାନଙ୍କ ପସନ୍ଦକୁ ଗ୍ରହଣ କରିବା ସନ୍ତାନଙ୍କର ନୈତିକ କର୍ତ୍ତବ୍ୟ । କେତେକ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ନିଜ ପସନ୍ଦର ସାଥି ବାଛିବା ପାଇଁ ସ୍ଵାଧୀନତା ଦିଆଯାଇଥାଏ । ଭାରତରେ ବିବାହକୁ କେବଳ ଦୁଇଜଣ ଯୁବତୀଙ୍କ ମିଳନୀ ଭାବେ ଗ୍ରହଣ କରାନଯାଇ ଦୁଇଟି ଯୌଥ ପରିବାରର ମିଲନ ଭାବେ ବିବେଚନା କରାଯାଏ । ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାର ବିବାହ ପଦ୍ଧତି ଅନୁସୃତ ହେଉଥିଲେ ସୁଦ୍ଧା ସମସ୍ତ ପଦ୍ଧତିରେ ପରମ୍ପରା ଓ ରୀତିଗୁଡିକ ସମାନ ଥାଏ । ଭାରତରେ ବାସ କରୁଥିବା ବିଭିନ୍ନ ସଂପ୍ରଦାଯର ଅଧିବାସୀ ନିଜର ଧର୍ମନୀତି ଅନୁଯାୟୀ ବିବାହ ସମ୍ପାଦନ କରିଥାନ୍ତି । ଏକ ପବିତ୍ର ଅନୁଷ୍ଠାନ ଭାବେ ବିବେଚିତ ହେଉଥିବା ବିବାହ ବନ୍ଧନ ପ୍ରତ୍ୟେକ ଭାରତୀୟ ସମ୍ପ୍ରଦାୟର ଏକ ପ୍ରଧାନ ସାମାଜିକ ପରମ୍ଫରା ।

(ଗ) ନୈତିକ ମୂଲ୍ୟବୋଧ

ଭାରତୀୟ ସମାଜ କେତେକ ନୈତିକ ମୂଲ୍ୟବୋଧ ପାଳନ କରି ଅନ୍ୟାନ୍ୟ ଦେଶଠାରୁ ଭିନ୍ନ ଏକ ସାମାଜିକ ପରମ୍ଫରା ସୃଷ୍ଟି କରିଛି । ପରିବାରରେ ବରିଷ୍ଠ ସଦସ୍ୟମାନଙ୍କୁ ସମ୍ମାନ ଦେବା , ସେମାନଙ୍କ ଆଦେଶ ପାଳନ କରିବା , ବରିଷ୍ଠତମ ସଦସ୍ୟଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶରେ ପରିବାର ପୁରୁଷମାନଙ୍କୁ ସ୍ମରଣ କରି ସମ୍ମାନ ପ୍ରଦର୍ଶନ କରିବା ଭାରତୀୟ ପରିବାରର ସ୍ଵତନ୍ତ୍ର ମୂଲ୍ୟବୋଧ । ସକାରାତ୍ମକ ଶିକ୍ଷାଦାନ କରିଥିବା ଗୁରୁଜନମାନଙ୍କୁ ଏବଂ ଅନ୍ୟାନ୍ୟ ଗୁରୁସ୍ଥାନୀୟ ବ୍ୟକ୍ତିଙ୍କୁ ଏବଂ ଅନ୍ୟାନ୍ୟ ଗୁରୁସ୍ଥାନୀୟ ବ୍ୟକ୍ତିଙ୍କୁ ଭକ୍ତି ପ୍ରଦର୍ଶନ କରିବା ତଥା ବରିଷ୍ଠ ବ୍ୟକ୍ତିମାନଙ୍କୁ ସେମାନଙ୍କ ନାମ ଉଚ୍ଚରଣ ନ କରି ସମ୍ମାନର ସହ ସମ୍ବୋଧନ କରିବା ଏବଂ ସାକ୍ଷାତ ହେବା ସମୟରେ ନତମସ୍ତକ ହୋଇ ପ୍ରଣାମ କରିବା ଭାରତୀୟ ସମାଜର ପରମ୍ପରିକ ମୂଲ୍ୟବୋଧ । ପୋଷାକ ପରିଚ୍ଛେଦ , ଆଚାର , ବ୍ୟବହାର ଓ କଥାବାର୍ତ୍ତାରେ ଶାଳୀନତା , ନମ୍ରତା ଓ ଭଦ୍ରତା ଏବଂ ଦୟା, ଦାନ, ସେବା , ପ୍ରେମ, କ୍ଷମା ପ୍ରଭୁତି ମୂଲ୍ୟବୋଧଗୁଡିକ ଭାରତରେ ପରମ୍ଫରାଗତ ।

(ଘ) ନୈତିକ କର୍ତ୍ତବ୍ୟ

ଭାରତୀୟ ସମାଜରେ ପ୍ରତ୍ୟେକ ପାଳନ କରିବା ପାଇଁ କେତେକ ନୈତିକ କର୍ତ୍ତବର ପରମ୍ଫରା ରହିଛି । ପ୍ରଥମତଃ ସନ୍ତାନର ଉପଯୁକ୍ତ ଲାଳନପାଳନ , ଶିକ୍ଷା ଓ ସଂସ୍କାର ଓ ସଂସାର ଗଠନ ପରିବାରେ ପିତାମାତାଙ୍କର ଏକ ପ୍ରଧାନ ନୈତିକ କର୍ତ୍ତବ୍ୟ । ଦ୍ଵିତୀୟଃ ପରିବାରର ସେବାଯତ୍ନ କରିବା ସନ୍ତାନ ସନ୍ତତି ଓ ଅନ୍ୟାନ୍ୟ କନିଷ୍ଠ ସଦସ୍ୟଙ୍କ ନୈତିକ କର୍ତ୍ତବ୍ୟ । ତୃତୀୟତଃ “ଅତିଥି ଦେବୋ ଭବଃ “ ନୀତି ରେ ଅନୁପ୍ରାଣିତ ହୋଇ ଅର୍ଥାତ ଅତିଥିଙ୍କୁ ସତ୍କାର ଭାରତୀୟମାନଙ୍କର ଏକ ମହତ୍ଵପୂର୍ଣ୍ଣ ନୈତିକ କର୍ତ୍ତବ୍ୟ । ଚତୁର୍ଥତଃ ନାରୀମାନଙ୍କୁ ଉପଯୁକ୍ତ ସ୍ଥାନ ଦେବା ସେମାନଙ୍କୁ ଉଚିତ ସମ୍ମାନ ହେବା ଓ ଆବଶ୍ୟକ ସ୍ଥଳେ ସୁରକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟର ନୈତିକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ । ପଞ୍ଚମତଃ ଧାର୍ମିକ ରୀତିନୀତି ଅନୁଯାୟୀ ମୃତ୍ୟୁ ବ୍ୟକ୍ତିର ଶବ ର ଅନ୍ତ୍ୟେଷ୍ଟ୍ରିକ୍ରିୟା ସମ୍ପାଦନ କରିବା ଏବଂ ପରଲୋକଗତ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ପ୍ରାର୍ଥନା କରିବା ଏକ ନୈତିକ କର୍ତ୍ତବ୍ୟ ଭାବେ ଭାରତୀୟ ପରମ୍ପରା ରହିଛି । ଷଷ୍ଠତଃ ବାସଗୃହ , ଶିକ୍ଷାନୁଷ୍ଠାନ , ଚିକିତ୍ସାଳୟ ଓ ଧର୍ମପୀଠର ପରିଷ୍କାର ପରିଚ୍ଛନ୍ନ ଏବଂ ପରିବାରର ପବିତ୍ରତା ଓ ବିଶୁଦ୍ଧତା ରକ୍ଷା କରିବା ପ୍ରତ୍ୟେକ ଭାରତୀୟର ପରମ୍ଫରାଗତ ନୈତିକ କର୍ତ୍ତବ୍ୟ ।

(ଙ) ଉତ୍ସବ ପାଳନ

ସନ୍ତାନର ଜନ୍ମ, ନାମକରଣ, ଆନ୍ନପ୍ରାଶ, ବିଦ୍ୟାରମ୍ଭ, ଉପନୟନ ଓ ବିବାହ ସମୟରେ ସଂପୃକ୍ତ ପରିବାରରେ ଆନନ୍ଦ ଖେଳିଯାଇଥାଏ ଏବଂ ଉତ୍ସବ ପାଳନ କରାଯାଇଥାଏ । ଏଗୁଡିକ ବ୍ୟତୀତ ପରିବାର ମଧ୍ୟରେ କେତେକ ଧର୍ମୀୟ ଉତ୍ସବ ମଧ୍ୟ ପାଳିତ ହୋଇଥାଏ । ସେଗୁଡିକରୁ କେତୋଟି ପ୍ରଧାନ ଉତ୍ସବ ହେଉଛି ହୋଲି, ଶ୍ରୀରାମନବମୀ, ଗୁଡ ଫ୍ରାଇଡେ, ବୁଦ୍ଧଜୟନ୍ତୀ, ଗୁରୁପୂର୍ଣ୍ଣିମା, ସବିବାରାତ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଇଦ-ଉଲ-ଫିତର, ଗଣେଷ ଚତୁର୍ଥୀ, ନବରାତ୍ରୀ, ବିଜୟା ଦଶମୀ, ଦୀପାବଳୀ, ଇଦ-ଉଲ-ଜୁହା, ମହରମ ଓ ଖ୍ରୀଷ୍ଟଜନ୍ମ । ସାମାଜିକ ପରମ୍ପରାଭାବେ ବିବେଚିତ ଏହି ଉତ୍ସବଗୁଡିକର ପାଳନ ଅବସରରେ ପରିବାରର ସଦସ୍ୟମାନେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କ ସହିତ ଏକତ୍ରିତ ହୁଅନ୍ତି ଏବଂ ଧର୍ମୀୟ ରୀତିନୀତି ଓ ଆନନ୍ଦ ଉଲ୍ଲାସରେ ସମସ୍ତେ ଭାଗ ନିଅନ୍ତି ।

ଧାର୍ମିକ ପରମ୍ପରା

(କ) ଆଧ୍ୟାତ୍ମିକତା

ଭାରତୀୟମାନେ ସାଧାରଣତଃ ଦୃଢ ଭଗବତ ବିଶ୍ଵାସୀ । ବୈଦିକ ସଭ୍ୟତାର ଧାର୍ମିକ ଚିନ୍ତାଧାରା ମଧ୍ୟରେ ଗଭୀର ଆଧ୍ୟାତ୍ମିକ ବିଶ୍ଵାସ ନିହିତ ରହିଛି । ଋକ୍ ବୈଦିକ ଯୁଗରୁ ବିଶ୍ଵାସ କରାଯାଉଥିବା ପାରମ୍ପରିକ ମତ ଅନୁଯାୟୀ ସମଗ୍ର ପ୍ରକୃତି ଓ ବିଶ୍ଵବ୍ରହ୍ମାଣ୍ଡର ସ୍ରଷ୍ଟା ହେଉଛନ୍ତି ଏକ ପରମଶକ୍ତି ବା ପରମେଶ୍ଵର । ତେଣୁ ଋକ୍ ବେଦ ସମୟରୁ ଭାରତରେ ଏକେଶ୍ଵରବାଦ ବିଶ୍ଵାସର ପରମ୍ପରା ରହିଆସିଛି । ଈଶ୍ଵରଙ୍କ ଦ୍ଵାରା ମନୁଷ୍ୟର ସୃଷ୍ଟି ହୋଇଥିବାରୁ ସ୍ଵାଭାବିକ ଭାବେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଈଶ୍ଵରଙ୍କ ସତ୍ତା ରହିଛି । ଏହି ବିଶ୍ଵାସରେ ବୈଦିକ ଯୁଗରୁ ସେହି ପରମେଶ୍ଵରଙ୍କୁ ଭକ୍ତି କରିବାର ପରମ୍ପରା ରହି ଆସିଛି । ମୁସଲମାନ ଓ ଖ୍ରୀଷ୍ଟିଆନମାନେ ମଧ୍ୟ ଏକେଶ୍ଵରବାଦରେ ବିଶ୍ଵାସ କରନ୍ତି । ଭାରତୀୟମାନେ ଇଶ୍ଵରଭକ୍ତି ଉପରେ ଗୁରୁତ୍ଵ ଦିଅନ୍ତି । ପରମାତ୍ମା ସହିତ ଜୀବାତ୍ମା ବା ଆତ୍ମାର ସମ୍ପର୍କ ପାଇଁ କର୍ମ ଜ୍ଞାନ ଓ ଭକ୍ତି ମଧ୍ୟରୁ ଭକ୍ତିମାର୍ଗ ସର୍ବ ଜନାଦୃତ । ଚିରନ୍ତନ, ଜନ୍ମହୀନ, ସ୍ଵୟଂସ୍ଥିତ ଓ ସର୍ବଶକ୍ତିମାନ ପରମେଶ୍ଵରଙ୍କ ପ୍ରତି ବିଶ୍ଵାସ ସ୍ଥାପନ ଏବଂ ତାଙ୍କ ନିକଟରେ ଆତ୍ମସମର୍ପଣକୁ ସବୁ ଧର୍ମାବଲମ୍ବୀ ନିଜ ଧର୍ମର ମୂଳନୀତି ବୋଲି ବିଶ୍ଵାସ କରନ୍ତି ।ଆଧ୍ୟାତ୍ମିକ ଚେତନା ବଳରେ ସବୁଧର୍ମର ମଣିଷ ଏକାକାର ହୋଇପାରିବେ ବୋଲି ପ୍ରତ୍ୟେକ ଭାରତୀୟଙ୍କ ବିଶ୍ଵାସ ।

(ଖ) ଉଦାରତା

ଭାରତୀୟ ଧର୍ମ କ୍ଷେତ୍ରରେ ଉଦାରତା ଏକ ମହତ୍ଵପୂର୍ଣ୍ଣ ପରମ୍ପରା । ସିନ୍ଧୁ ସଭ୍ୟତାର ଧର୍ମକୁ ଭାରତର ପ୍ରାଚୀନତମ ସଂଗଠିତ ଧର୍ମ ଭାବେ ବିବେଚନା କରାଯାଇଥିଲେ ସୁଦ୍ଧା ବୈଦିକ ଯୁଗରେ ବ୍ରାହ୍ମଣ୍ୟଧର୍ମ ନାମରେ ଏକ ବିଧିବଦ୍ଧ ଧର୍ମର ପ୍ରବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ତାହା ହିନ୍ଦୁଧର୍ମ ନାମରେ ପରିଚିତ ହେଲା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଜୈନଧର୍ମ ଓ ବୌଦ୍ଧଧର୍ମ ଜନ୍ମଲାଭ କରି ସମାନ୍ତରାଳ ଭାବେ ପ୍ରଚାରିତ ହେଲା । ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ଏହି ଧର୍ମ ଗ୍ରହଣ କରିବାକୁ ତାଙ୍କ ପ୍ରଜାମାନଙ୍କୁ ବାଧ୍ୟ କରୁନଥିଲେ ବରଂ ସେ ପ୍ରବର୍ତ୍ତନ କରିଥିବା ଆଚରଣ ବିଧିରେ ସବୁଧର୍ମ ପ୍ରତି ସମାନ ମନୋଭାବ ପୋଷଣ କରିବା ପାଇଁ ପ୍ରଜାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମ୍ରାଟ ଆକବର ଦିନ-ଇ-ଲ୍ଲାହୀ, ପ୍ରବର୍ତ୍ତନ କରି ସମର୍ଥନ ସମନ୍ଵୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଧାରଣ କରିଥିଲେ । ଭାରତରେ ଇସଲାମ ଓ ଖ୍ରୀଷ୍ଟଧର୍ମର ପ୍ରବେଶ ପରେ ଭାରତୀୟ ସମାଜ ଉପରେ ସେମାନଙ୍କ ପ୍ରଭାବକୁ ବିରୋଧ କରାଯାଇ ନଥିଲା, ଅପରାନ୍ତୁ ହିନ୍ଦୁମାନଙ୍କର ଏକେଶ୍ଵରବାଦ ଉପରେ ବିଶ୍ଵାସ ଅଧିକ ଦୃଢୀଭୂତ ହୋଇଥିଲା ଏବଂ ସଂସ୍କାରବାଦୀ ଆନ୍ଦୋଳନ ଅନୁପ୍ରେରିତ ହୋଇଥିଲା ।

ଭକ୍ତିବାଦ, ଶିଖଧର୍ମ ଓ ବ୍ରାହ୍ମ ମତ ଭାରତୀୟମାନଙ୍କ ଦ୍ଵାରା ଆଦରର ସହିତ ଗ୍ରହଣ କରାଗଲା । ଉନ୍ନବିଂଶ ଶତାବ୍ଦୀରେ ଭାରତୀୟ ସଂସ୍କାରକମାନେ ସବୁଧର୍ମକୁ ସମାନ ଚକ୍ଷୁରେ ଦେଖିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହିପରି ଭାବେ ଧର୍ମକ୍ଷେତ୍ରରେ ଉଦାରତା, ସ୍ଵାଧୀନତା ଓ ନିରପେକ୍ଷତା ଭାରତରେ ଏକ ବିଶିଷ୍ଟ ପରମ୍ପରା ସୃଷ୍ଟିକଲା ।

(ଗ) ମୂର୍ତ୍ତି ପୂଜା

ଭାରତରେ ମୂର୍ତ୍ତିପୂଜାର ପରମ୍ପରା ବହୁ ପୂର୍ବ କାଳରୁ ପ୍ରଚଳିତ ହୋଇ ଆସୁଛି । ସିନ୍ଧୁ ସଭ୍ୟତାର ମୋହରମାନଙ୍କରେ କାଳୀ ବା ଦୂର୍ଗା ଏବଂ ପଶୁପତି ବା ଶିବଙ୍କ ପ୍ରତିମୂର୍ତ୍ତି ଦେଖାଯାଏ । ବିଭିନ୍ନ ସମୟରେ ଜୈନ ତୀର୍ଥଙ୍କର ଓ ମହାବୀର ଜୀନ, ଗୌତମ ବୁଦ୍ଧ ଓ ବୋଧିସତ୍ତ୍ଵ, ଶିବ, ବିଷ୍ଣୁ, ସୂର୍ଯ୍ୟ, କାର୍ତ୍ତିକେୟ ପ୍ରଭୃତି ହିନ୍ଦୁ ଦେବତା ଓ ସେମାନଙ୍କ ଭିନ୍ନ ଭିନ୍ନ ଅବତାର ଏବଂ ଅନେକ ହିନ୍ଦୁ ଦେବୀଙ୍କ ପଥର ଓ ବ୍ରୋଞ୍ଜ ମୂର୍ତ୍ତି ଆବିଷ୍କୃତ ହୋଇ ମୂର୍ତ୍ତିପୂଜା ପରମ୍ପରାର ସୂଚନା ଦେଇଛି । ଗୁପ୍ତ ଯୁଗରୁ ଦୃତ ଗତିରେ ହିନ୍ଦୁ, ବୌଦ୍ଧ ଓ ଜୈନ ମନ୍ଦିର ନିର୍ମାଣ ହୋଇ ସଂପୃକ୍ତ ଧର୍ମର ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପିତ ହେଲା । ମୂର୍ତ୍ତିପୂଜାର ବିଧି ନ ଥିବା ଧର୍ମ ବ୍ୟତୀତ ଅନ୍ୟ ସମସ୍ତ ଧର୍ମର ଧର୍ମପୀଠମାନଙ୍କରେ ମୂର୍ତ୍ତି ସ୍ଥାପିତ ହୋଇ ପୂଜା ହେଉଥିବା ଦେଖାଯାଏ । ଏହାଛଡା ପ୍ରାୟ ସମସ୍ତ ଭାରତୀୟଙ୍କ ବାସଗୃହ ପରିସର ମଧ୍ୟରେ ମୂର୍ତ୍ତି ସ୍ଥାପିତ ହୋଇ ପୂଜା କରାଯାଏ । କେତେକ ଧର୍ମରେ ପ୍ରକୃତି ପୂଜା ଓ ଧର୍ମଗ୍ରନ୍ଥ ପୂଜାର ପରମ୍ପରା ମଧ୍ୟ ରହିଛି ।

(ଘ) ପୂଜାବିଧି

ପ୍ରତ୍ୟେକ ଭାରତୀୟ ପରିବାରର ସମସ୍ତ ସଦସ୍ୟ ବା ବରିଷ୍ଠ ସଦସ୍ୟ ପ୍ରତ୍ୟହ ଧର୍ମ ପୀଠରେ ବା ନିଜ ବାସଗୃହରେ ପୂଜା ଅର୍ଚ୍ଚନା କରିବା ଭାରତର ଏକ ବିଶିଷ୍ଟ ପରମ୍ପରା । ଏହି ଦୈନଦିନ ପୂଜା ବ୍ୟତୀତ ପ୍ରତ୍ୟେକ ଧର୍ମାବଲମ୍ବୀ ସପ୍ତାହର କେତେକ ନିର୍ଦ୍ଧିଷ୍ଟ ଦିନରେ ଓ ନିଜ ଧର୍ମର ପର୍ବ ଦିବସମାନଙ୍କରେ ସେମାନଙ୍କ ଧର୍ମପୀଠକୁ ଯାଇ ସାମୁହିକ ପୂଜା ଅର୍ଚ୍ଚନାରେ ଭାଗ ନିଅନ୍ତି । ପ୍ରତିବର୍ଷ କେତେକ ଧାର୍ମିକ ପର୍ବରେ ଏକ ସର୍ବସାଧାରଣ ସ୍ଥାନରେ ସାର୍ବଜନୀନ ପୂଜା ଓ ପ୍ରାର୍ଥନା ଅନୁଷ୍ଠିତ ହୋଇଥାଏ । ଏହି ଧାର୍ମିକ ପର୍ବଗୁଡିକ ମଧ୍ୟରେ ହିନ୍ଦୁମାନଙ୍କର ସରସ୍ଵତୀ ପୂଜା, ଶିବରାତ୍ରୀ, ଶ୍ରୀରାମନବମୀ, ଜନ୍ମାଷ୍ଟମୀ, ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା:ମୁସଲମାନମାନଙ୍କର ଈଦ-ଉଲ-ଜୁହା ଓ ମହରମ; ଖ୍ରୀଷ୍ଟିଆନମାନଙ୍କର ଗୁଡ ଫ୍ରାଇଡେ, ଇଷ୍ଟର ସଟର ଡ଼େ ଓ ଖ୍ରୀଷ୍ଟଜନ୍ମ; ଜୈନମାନଙ୍କର ମହାବୀର ଜୟନ୍ତୀ; ବୌଦ୍ଧମାନଙ୍କର ବୁଦ୍ଧପୂର୍ଣ୍ଣିମା; ଶିଖମାନଙ୍କର ଗୁରୁନାନକ ଜୟନ୍ତୀ ଓ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ପ୍ରଭୃତି ପ୍ରଧାନ । ଏହି ପୂଜା ସମୟରେ ସମ୍ପୃକ୍ତ ଧର୍ମଗତ ଅନୁଯାୟୀ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୁର, ଅତର ଆଦିର ବ୍ୟବହାର ହୋଇଥାଏ ଏବଂ ଧର୍ମଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ, ପ୍ରାର୍ଥନା ତଥା ହୋମ ଯଜ୍ଞର ବ୍ୟବସ୍ଥା ହୋଇଥାଏ ।

(ଙ)ଧର୍ମ ବିଶ୍ଵାସ

ଭାରତରେ ବିଭିନ୍ନ ଧର୍ମ ପ୍ରଚଳିତ ହେଉଥିଲେ ସୁଦ୍ଧା ଧର୍ମମତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଆତ୍ମାର ଅମରତ୍ଵ, କର୍ମବାଦ, ପୁନର୍ଜନ୍ମ, ମୋକ୍ଷପ୍ରାପ୍ତିରେ ବିଶ୍ଵାସ କରନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀ ସମାନତା, ସହାବସ୍ଥାନ ଓ ସହନଶୀଳତା ତଥା ସାର୍ବଜନୀନ ପ୍ରେମ, ବିଶୁଦ୍ଧ ଚରିତ୍ର, ଭକ୍ତି, ଦୟା, ଦାନ, କ୍ଷମା ଓ ଅହିଂସାରେ ବିଶ୍ଵାସ କରନ୍ତି । ସମସ୍ତ ଧର୍ମରେ ଜାତିପ୍ରଥା ଓ ଅସ୍ପୃଶ୍ୟତା, ଭେଦାଭେଦ ଓ ଉଚ୍ଚନୀଚ ମନୋଭାବ, ନିଷ୍ଠୁରତା ଓ ନିର୍ଦ୍ଦୟତା, ଅନୀତି ଓ ଅନ୍ୟାୟ ତଥା ଘୃଣା, ଦ୍ଵେଷ, ଈର୍ଷା ଓ ଲୋଭକୁ ବିରୋଧ କରାଯାଇଛି । ଧର୍ମ ପାଳନକୁ ଦୃଢ କରିବାପାଇଁ ହିନ୍ଦୁମାନଙ୍କର ଚତୁର୍ଦ୍ଧାମ ଯାତ୍ରା, ମୁସଲମାନମାନଙ୍କର ମକ୍କା ଯାତ୍ରା ସଂପୃକ୍ତ ଧର୍ମାବଲମ୍ବୀଙ୍କର ଏକ ପାରମ୍ପରିକ ବିଶ୍ଵାସ ।

ସାଂସ୍କୃତିକ ପରମ୍ପରା

(କ) ବୈଦିକ ସଂସ୍କୃତି

ବିଭିନ୍ନ ଦେଶୀୟ ଓ ବିଦେଶାଗତ ଧର୍ମ ଓ ସଂସ୍କୃତି ସତ୍ତ୍ୱେ ଭାରତୀୟ ଭାବଧାରାରେ ବୈଦିକ ସଂସ୍କୃତିର ମହତ୍ଵପୂର୍ଣ୍ଣ ତତ୍ତ୍ଵ ବଦ୍ଧମୂଳ ଭାବେ ସୁରକ୍ଷିତ ରହି ଏକ ଚିରସ୍ଥାୟୀ ପରମ୍ପରା ସୃଷ୍ଟି କରିଛି । ବୈଦିକ ସଂସ୍କୃତି ଭାରତୀୟ ସଂସ୍କୃତିର ପ୍ରାଣପିଣ୍ଡ ଭାବେ ବିବେଚିତ ହୁଏ । ବୈଦିକ ଯୁଗର ଆର୍ଯ୍ୟମାନଙ୍କ ପିତୃକୈନ୍ଦ୍ରିକ ପରିବାରର ପରିଚାଳନା ପଦ୍ଧତି, ଶୃଙ୍ଖଳିତ ଶିକ୍ଷା ବ୍ୟବସ୍ଥା, ଗଭୀର ଆଧ୍ୟାତ୍ମିକ ଭାବ, ଗ୍ରାମ୍ୟଜୀବନ, ଜାତି ପ୍ରଥା ଓ ଜୀବନର ଚତୁରାଶ୍ରମ ଏବେ ମଧ୍ୟ ଭାରତୀୟ ସମାଜରେ ପ୍ରଚଳିତ ।

ଆର୍ଯ୍ୟମାନଙ୍କର ମୌଳିକ ଦାର୍ଶନିକ ଚିନ୍ତାଧାରା ଭାରତୀୟ ଦର୍ଶନରେ ଗୁରୁତ୍ଵ ଲାଭ କରିଛି । ସେମାନଙ୍କର ଛଅଟି ଦାର୍ଶନିକ ପଦ୍ଧତି ଭାରତୀୟ ସଂସ୍କୃତିକୁ ବିଶିଷ୍ଟ ଅବଦାନଭାବେ ମନେ କରାଯାଏ । ଆର୍ଯ୍ୟମାନଙ୍କ ଦାର୍ଶନିକ ଚିନ୍ତାଧାରା “ ବସୁଧୈବ କୁଟୁମ୍ବକମ୍ ” ଭାରତରେ ବିଶ୍ଵ ଭ୍ରାତୃତ୍ଵଭାବରେ ବଳିଷ୍ଠ ପରମ୍ପରା ସୃଷ୍ଟି କରିଛି ।

(ଖ) ସ୍ଥାପତ୍ୟ, ମୂର୍ତ୍ତିକଳା ଓ ଚିତ୍ରକଳା

ସିନ୍ଧୁ ସଭ୍ୟତା ସମୟରୁ ଭାରତରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶାସକଙ୍କ ପୃଷ୍ଠପୋଷକତାରେ ଗୃହ, ସ୍ତୂପ, ସ୍ତମ୍ଭ, ପ୍ରାସାଦ ଏବଂ ମନ୍ଦିର ଓ ଅନ୍ୟାନ୍ୟ ଧର୍ମପୀଠ ନିର୍ମାଣ କରାଯାଇ ଆଜି ପର୍ଯ୍ୟନ୍ତ ସ୍ଥାପତ୍ୟ କଳାର ପରମ୍ପରା ବଜାୟ ରହିଛି । ସେହିପରି ବିଭିନ୍ନ ସମୟରେ ଭାରତୀୟ କୁଶଳୀ କାରିଗରମାନଙ୍କ ଦ୍ଵାରା ମାଟି, ପଥର ଓ ଧାତୁରେ ଦେବା ଦେବୀ, ରାଜାମହାରାଜା, ପଶୁପକ୍ଷୀ ପ୍ରଭୃତିଙ୍କ ପ୍ରତିମୂର୍ତ୍ତି ନିର୍ମିତ ହୋଇ ଭାରତରେ ମୂର୍ତ୍ତିକଳାର ପରମ୍ପରା ସୃଷ୍ଟି ହୋଇଛି । ପ୍ରାଗ-ଐତିହାସିକ ଯୁଗରୁ ଚିତ୍ରକଳାର ଉଦ୍ଭବ ହୋଇ ସମୟକ୍ରମେ ଏହାପ୍ରତି ଆଦର ଓ ଆଗ୍ରହ ବୃଦ୍ଧି ପାଇଲା ଏବଂ ଭାରତର ବିଭିନ୍ନ ଅଞ୍ଚଳରେ ଚିତ୍ରକାରମାନଙ୍କଦ୍ଵାରା ଭିନ୍ନ ଭିନ୍ନ ଶୈଳୀ ବିକଶିତ ହୋଇ ଚିତ୍ରକଳାର ଏକ ପରମ୍ପରା ସୃଷ୍ଟି ହେଲା । ମୂର୍ତ୍ତିକଳା ଓ ଚିତ୍ରକଳାର ପରମ୍ପରା ପାଇଁ ଭାରତୀୟ ଶିଳ୍ପୀମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରି ଭାରତୀୟ କଳାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

(ଗ) ନୃତ୍ୟଗୀତ

ନୃତ୍ୟଗୀତ ଭାରତର ଏକ ମୌଳିକ କଳା । ବହୁ ପ୍ରାଚୀନ କାଳରୁ ବିକଶିତ ହୋଇ ଏହା ଭାରତରେ ଏକ ଗୁରୁତ୍ଵପୂର୍ଣ୍ଣ ସାଂସ୍କୃତିକ ପରମ୍ପରା ସୃଷ୍ଟି କରିଛି । ଆଧୁନିକ କାଳରେ ଏ କ୍ଷେତ୍ରରେ ବିଦେଶୀ ସଂସ୍କୃତିର ପ୍ରଭାବ ପଡିଥିଲେ ସୁଦ୍ଧା ଭାରତକୁ ଗୌରବମଣ୍ଡିତ କରିଥିବା ସଂପୂର୍ଣ୍ଣଭାବେ ଭାରତର ନିଜସ୍ଵ ପାରମ୍ପରିକ ଶୈଳୀର ନୃତ୍ୟ ଓ ଗୀତ ଏବେ ମଧ୍ୟ ଦେଶ ଭିତରେ ଓ ଦେଶ ବାହାରେ ସୁବିଖ୍ୟାତ ଓ ସମ୍ମାନିତ । ପ୍ରାଚୀନ ମୂର୍ତ୍ତିକଳାରେ ପ୍ରତିଫଳିତ ଅଙ୍ଗଭଙ୍ଗାରୁ ଭାରତର ପାରମ୍ପରିକ ନୃତ୍ୟଗୁଡିକ ବିକଶିତ । ସାମବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୃଷ୍ଟି । ଭାରତରେ ନୃତ୍ୟ ଓ ଗୀତକୁ କେବଳ ମନୋରଞ୍ଜନ ବା ଜୀବନଧାରଣର ମାଧ୍ୟମଭାବେ ମନେ କରାଯାଏ ନାହିଁ, ଏହାକୁ ଶିଳ୍ପୀର ସୃଜନ ପ୍ରବଣତା ଓ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ଵପୂର୍ଣ୍ଣ ଉପାଦାନଭାବେ ବିବେଚନା କରାଯାଏ । ଶାସ୍ତ୍ରୀୟ ନୃତ୍ୟ ଓ ଗୀତ ବ୍ୟତୀତ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ଓ ସ୍ଥାନୀୟ ନୃତ୍ୟ ଏବଂ ଲୋକଗୀତ ଓ ଲଘୁ ସଂଗୀତ ସାମାଜିକ ବା ଧାର୍ମିକ ଉତ୍ସବମାନଙ୍କରେ ପରିବେଷଣ କରାଯିବା ଭାରତରେ ଏକ ପରମ୍ପରା ।

(ଘ) ସାହିତ୍ୟ

ବୈଦିକ ଯୁଗରୁ ଭାରତରେ ସାହିତ୍ୟର ପରମ୍ପରା ସୃଷ୍ଟି ହୋଇଛି । ବେଦକୁ ଭାରତରେ ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ । ବେଦ ଥିଲା ବ୍ରହ୍ମାଙ୍କ ମୁଖ ନିଃସୃତ ବାଣୀ । ଏହା ରଚିତ ହେବା ପାଇଁ ଦୀର୍ଘକାଳ ଲାଗିଥିଲା । ରକବେଦରୁ ଆରମ୍ଭ ହୋଇ କ୍ରମେ ଅନ୍ୟ ତିନିଟି ବେଦ, ବ୍ରାହ୍ମଣ, ସଂହିତା, ଆରଣ୍ୟକ, ଉପନିଷଦ, ଶାସ୍ତ୍ର, ସୂତ୍ର, ରାମାୟଣ ଓ ମହାଭାରତ ପ୍ରଭୃତି ରଚନା ହୋଇ ସାହିତ୍ୟ କ୍ଷେତ୍ରରେ ସୃଜନଶୀଳତାର ପରମ୍ପରା ସୃଷ୍ଟି କଲା । ବୈଦିକ ତଥା ପୌରାଣିକ ସାହିତ୍ୟକୁ ଭିତ୍ତି କରି ବିଭିନ୍ନ ବିଷୟରେ ସାହିତ୍ୟ ରଚିତ ହେଲା । ଗୁପ୍ତଯୁଗରେ ରଚିତ ନାଟକ, କବିତା, ଗୀତିକାବ୍ୟ, ଗଳ୍ପ, ଇତିହାସ, ଜୀବନୀ, ଅଭିଧାନ ଓ ବାକ୍ୟରଣ ପରବର୍ତ୍ତୀ ସମୟରେ ସାହିତ୍ୟ ରଚନାପାଇଁ ପ୍ରେରଣାର ଉତ୍ସ ହେଲା । କାଳିଦାସ ସାହିତ୍ୟ ରଚନାର ଏକ ଆଦର୍ଶ ହେଲେ । ଅବିଚ୍ଛିନ୍ନଭାବେ ସାହିତ୍ୟ ରଚିତ ହୋଇ ସାହିତ୍ୟ କ୍ଷେତ୍ରରେ ଏକ ବଳିଷ୍ଠ ପରମ୍ପରା ବିକଶିତ ହେଲା । ଇସଲାମୀୟ ଓ ମୋଗଲ ଶାସନରେ, ଇଂରେଜମାନଙ୍କ ଶାସନ ସମୟରେ ଏବଂ ସ୍ଵାଧୀନତୋତ୍ତର ଭାରତରେ ସଂସ୍କୃତ, ହିନ୍ଦୀ, ଇଂରାଜୀ ଓ ବିଭିନ୍ନ ଆଞ୍ଚଳିକ ଭାଷାରେ ବହୁ ସଂଖ୍ଯାରେ ଉଚ୍ଚକୋଟୀର ସାହିତ୍ୟ ରଚିତ ହୋଇ ଏହି ପରମ୍ପରା ବଜାୟ ରହିଛି ।

(ଙ) ଜ୍ୟୋତିର୍ବିଦ୍ୟା ଓ ଆୟୁର୍ବିଦ୍ୟା

ଜ୍ୟୋତିଷ ବେଦାଙ୍ଗରେ ଓ ଅଥର୍ବ ବେଦରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟା ସମ୍ପର୍କରେ ବର୍ଣ୍ଣନା ହୋଇ ସେହି ସମୟରୁ ଏହି ଦୁଇ କ୍ଷେତ୍ରରେ ଭାରତୀୟମାନଙ୍କ ମଧ୍ୟରେ ଆଗ୍ରହ ଓ ଅନୁସନ୍ଧିତ୍ସା ସୃଷ୍ଟି କଲା । ପରେ ପରେ ଅନ୍ୟାନ୍ୟ ଖ୍ୟାତନାମା ଜ୍ୟୋତିଷ ଶାସ୍ତ୍ରବିତ ଓ ଚିକିତ୍ସା-ବିଜ୍ଞାନୀ ଏହି ଦୁଇ ବିଦ୍ୟାର ବିକାଶ ଘଟାଇଲେ । ପୃଥିବୀର ଅନେକ ଦେଶ ଭାରତରୁ ଏହି ଜ୍ୟୋତିର୍ବିଦ୍ୟା ଓ ଆୟୁର୍ବିଦ୍ୟା ସମ୍ବନ୍ଧରେ ଜ୍ଞାନ ଆହରଣ କଲେ । ଭାରତର ଜ୍ୟୋତିର୍ବିଜ୍ଞାନର ପରମ୍ପରା ଆଜି ମଧ୍ୟ ଦେଶରେ ଓ ଦେଶ ବାହାରେ ଖ୍ୟାତ ଓ ଆଦୃତ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବହୁ ବୈଜ୍ଞାନିକ ଉପକରଣ ଓ ପଦ୍ଧତି ଆବିଷ୍କୃତ ହୋଇଥିଲେ ସୁଦ୍ଧା ଭାରତର ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଏବେ ମଧ୍ୟ ଜନପ୍ରିୟ । ବିଭିନ୍ନ ପ୍ରକାର ବୃକ୍ଷଲତାର ଔଷଧୀୟ ଗୁଣର ଆଧାରରେ ଏହି ପ୍ରାକୃତିକ ଉପାୟରେ ଚିକିତ୍ସାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବାରୁ ଆୟୁର୍ବେଦ ବିଦ୍ୟାର ପରମ୍ପରା ଦିନକୁ ଦିନ ଦୃଢତର ହେଉଛି ।

ରାଜନୈତିକ ପରମ୍ପରା

(କ) ଗଣତନ୍ତ୍ର

ବୈଦିକ ଯୁଗରେ ‘ ସଭା’ ଓ ‘ ସମିତି’ ନାମକ ଦୁଇଟି ଅନୁଷ୍ଠାନ ରହିଥିଲା । ସଭାରେ ଧନୀ, ବିଜ୍ଞ ଓ ବୟୋବୃଦ୍ଧ ବ୍ୟକ୍ତି ସଦସ୍ୟ ରହିଥିବା ବେଳେ ‘ ସମିତି’ ରେ ସବୁ ଶ୍ରେଣୀରୁ ଏପରିକି ସାଧାରଣ ଲୋକଙ୍କ ମଧ୍ୟରୁ ମଧ୍ୟ ସଦସ୍ୟ ମନୋନୀତ ହେଉଥିଲେ । ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରେ ସେମାନେ ନିଜର ମତ ପୋଷଣ କରୁଥିଲେ ଏବଂ ରାଜାମାନେ ସ୍ଵେଚ୍ଚାଚାରୀ ହେବାର ଆଶଙ୍କାକୁ ଦୂର କରୁଥିଲେ । କୌଣସି ରାଜାଙ୍କୁ ଆବଶ୍ୟକ ହେଲେ ଗାଦିଚ୍ୟୁତ କରି ନୂତନ ରାଜା ନିର୍ବାଚିତ କରୁଥିଲେ । ସ୍ଵାଧୀନତତ୍ତୋର ଭାରତର ସମ୍ବିଧାନ ପ୍ରଦତ୍ତ ଛଅଟି ମୌଳିକ ଅଧିକାର ମଧ୍ୟରୁ ସମାନତାର ଅଧିକାର, ସ୍ଵାଧୀନତାର ଅଧିକାର, ଧର୍ମଗତ ସ୍ଵାଧୀନତାର ଅଧିକାର ଏବଂ ସାଂସ୍କୃତିକ ଓ ଶିକ୍ଷା ଅଧିକାର ପ୍ରକାରାନ୍ତରେ ବହୁ ପୂର୍ବରୁ ଭାରତରେ ପ୍ରଚଳିତ ।

(ଖ) ସାଧାରଣତନ୍ତ୍ର

ଋକ ବୈଦିକ ଯୁଗରେ ‘ ଗଣ’ ନାମରେ ପରିଚିତ କେତେକ ସାଧାରଣତନ୍ତ୍ର ଥିଲା । ସେଗୁଡିକ “ ଗଣପତି “ ବା ଜ୍ୟେଷ୍ଠ ଙ୍କ ଦ୍ଵାରା ଶାସିତ ହେଉଥିଲା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଷୋହଳଟି ମହାଜନପଦ ମଧ୍ୟରୁ ଭ୍ରିଜ୍ୱି ଓ ମଲ୍ଲ ସାଧାରଣତନ୍ତ୍ର ରାଜ୍ୟ ଥିଲା । ଏହାଛଡା ଅନ୍ୟ କେତେକ କ୍ଷୁଦ୍ର ସାଧାରଣତନ୍ତ୍ର ମଧ୍ୟ ଥିଲା । ସେଗୁଡିକ ନିର୍ବାଚିତ ପ୍ରତିନିଧି ଓ ନିର୍ବାଚିତ ରାଜାଙ୍କ ଦ୍ଵାରା ଶାସିତ ହେଉଥିଲା । ଭୃଜ୍ଵୀ ସାଧାରଣତନ୍ତ୍ର ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ଏବଂ ଏହାର ଏକ ଜନ ପ୍ରତିନିଧି ସଭା ଓ ନିର୍ବାଚିତ ରାଜା ଥିଲେ । ଏଣୁ ଭାରତର ସାଧାରଣତନ୍ତ୍ର ପରମ୍ପରାଗତ ବୋଲି କୁହାଯାଇପାରେ ।

(ଗ) ସ୍ୱାୟତ୍ତ ଶାସନ

ଗ୍ରାମ ସ୍ତରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବୈଦିକ ଯୁଗରୁ ଭାରତରେ ଶାସନର ମୂଳଭିତ୍ତି ଭାବେ ରହିଆସିଛି । ରାମାୟଣ, ମହାଭାରତ ଓ ବୌଦ୍ଧ ଜାତକଗଳ୍ପମାଳାରେ ସ୍ଥାନୀୟ ଶାସନ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ମୌର୍ଯ୍ୟଯୁଗରେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଦ୍ଵାରା ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା । ସୁଲତାନୀୟ, ମୋଗଲ ଓ ଇଂରେଜ ଶାସନ ସମୟରେ ଶାସକମାନଙ୍କ ପୃଷ୍ଠପୋଷକତା ନପାଇ ସୁଦ୍ଧା ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ତିଷ୍ଠି ରହିଥିଲା । ଲର୍ଡ ରିପନ ଭାରତର ବଡଲାଟ ହେବା ପରେ ତାଙ୍କଦ୍ଵାରା ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଏକ ନିୟମ ଢଙ୍ଗରେ ପ୍ରତିଷ୍ଠିତ ହେଲା । ଏହିପରି ଭାବେ ସ୍ୱାୟତ୍ତ ଶାସନ ଭାରତରେ ଏକ ବହୁ ପୁରାତନ ରାଜନୈତିକ ପରମ୍ପରା ।

(ଘ) ଶାସନର ବିକେନ୍ଦ୍ରୀକରଣ

ପ୍ରତ୍ୟେକ ଶାସକଙ୍କ ସମୟରେ ସେମାନଙ୍କଦ୍ଵାରା ଅଧିକୃତ ଅଞ୍ଚଳର ବିଶାଳତା ଓ ବିଚ୍ଛିନ୍ନତା ଦୃଷ୍ଟିରୁ ଶାସନର ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଫଳପ୍ରଦ କରାଯାଇଛି । ବୈଦିକ ସଭ୍ୟତା ସମୟରେ ରାଜା ସର୍ବୋଚ୍ଚ ଶାସକ ଥିଲେ ସୁଦ୍ଧା ପରିବାରଠାରୁ ଆରମ୍ଭ ହୋଇ ଗ୍ରାମ, ବିଶ, ଜନ ବା ଗୋଷ୍ଠୀରେ ଶାସନକୁ ବିକେନ୍ଦ୍ରିତ କରାଯାଇଥିଲା । ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ମୌର୍ଯ୍ୟ, କୁଶାଣ, ଗୁପ୍ତ, ସୁଲତାନୀୟ, ମୋଗଲ ଓ ଇଂରେଜ ଶାସନରେ ମଧ୍ୟ ପ୍ରଚଳିତ ଥିଲା । ଆଧୁନିକ ଯୁଗରେ ଭାରତରେ ଗ୍ରାମଠାରୁ ଆରମ୍ଭ ହୋଇ ବ୍ଲକ, ସବ-ଡିଭିଜନ ବା ଉପଖଣ୍ଡ, ଜିଲ୍ଲା ଓ ପ୍ରଦେଶ ମଧ୍ୟରେ ଶାସନର ବିକେନ୍ଦ୍ରୀକରଣ ହୋଇ ସର୍ବୋଚ୍ଚ ସ୍ଥାନରେ କେନ୍ଦ୍ରୀୟ ଶାସନ ରହିଛି । ଏହିପରି ଭାବରେ ବହୁ ପୂର୍ବରୁ ଭାରତରେ ଶାସନ ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପରମ୍ପରା ରହିଛି ।

(ଙ) ପ୍ରାଶାସନିକ ପଦ୍ଧତ୍ତି

ବୈଦିକ ଯୁଗରୁ ଆରମ୍ଭ କରି ସ୍ଵାଧୀନତୋତ୍ତର ଯୁଗ ପର୍ଯ୍ୟନ୍ତ ଭାରତରେ ପ୍ରଚଳିତ ପ୍ରାଶାସନିକ ପଦ୍ଧତ୍ତିର ପରମ୍ପରା ସୃଷ୍ଟି ହୋଇଥିବା ସ୍ପଷ୍ଟ ହୁଏ । ଆଜିର ଭାରତୀୟ ଶାସନ ବ୍ୟବସ୍ଥାରେ ଶାସନ ମୁଖ୍ୟଙ୍କୁ ପରାମର୍ଶ ଓ ସମର୍ଥନ ପ୍ରଦାନ ପାଇଁ ଥିବା ମନ୍ତ୍ରିମଣ୍ଡଳ ଏବଂ ଶାସନର ନୀତିଗୁଡିକ କାର୍ଯ୍ୟକାରୀ କରିବାପାଇଁ ଥିବା ଅମଲାତନ୍ତ୍ର ବହୁଦିନପୂର୍ବେ ଭାରତରେ ପ୍ରଚଳିତ ହୋଇଥିବା ଶାସନ ଓ ପ୍ରାଶାସନିକ ପଦ୍ଧତିର ଏକ ସଂଶୋଧିତ ରୂପ । ଶାସନକୁ ସଫଳ ଓ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ବିଭାଗ ଖୋଲି ସେଗୁଡିକର ପରିଚାଳନା ନିମନ୍ତେ ପ୍ରତ୍ୟେକ ବିଭାଗରେ ନିର୍ଦ୍ଧିଷ୍ଟ ସଂଖ୍ୟକ ଅମଲାତନ୍ତ୍ର ସହିତ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ଵ ଅର୍ପଣ କରିବା ଭାରତୀୟ ରାଜନୈତିକ ପରମ୍ପରାର ପରିଣତି ବୋଲି କୁହାଯାଇପାରେ ।

ଆର୍ଥନୀତିକ ପରମ୍ପରା

(କ) କୃଷି

ଭାରତୀୟ ଅର୍ଥନୀତିରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୃଷିର ପରମ୍ପରା ବହୁ ଦିନରୁ ପ୍ରଚଳିତ । ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଯୁଗର ଶାସକ ଓ ଶାସିତ ତଥା ସାଧାରଣ ଜନତା ରାଷ୍ଟ୍ରର ଆର୍ଥିକ ବିକାଶ ପାଇଁ କୃଷି ଉପରେ ସର୍ବାଧିକ ଗୁରୁତ୍ଵ ଦେବା ଭାରତରେ ପରମ୍ପରାଗତ । ସିନ୍ଧୁ ସଭ୍ୟତା ସମୟରେ କାଷ୍ଠ ନିର୍ମିତ ଲଙ୍ଗଳ ଓ ପଥର ନିର୍ମିତ ଦା’ ବ୍ୟବହୃତ ହୋଇ ଧାନ, ଗହମ, ଯବ, ଲେମ୍ବୁ, ନଡିଆ, କାର୍ପାସ, ଉତ୍ପାଦିତ ହେଉଥିଲା । ବୈଦିକ ଯୁଗରେ ପ୍ରଥମେ ଧାନ, ଗହମ, ଯବ, ତୈଳବୀଜ ଓ କାର୍ପାସ ଉତ୍ପନ୍ନ ହୋଇ କ୍ରମେ ଅନ୍ୟାନ୍ୟ ଶସ୍ୟ ଉତ୍ପାଦିତ ହେଲା । ସେତେବେଳେ ଶସ୍ୟଶ୍ୟାମଳା ଜମିର ଅଭାବ ନଥିବାରୁ ଓ ଆର୍ଯ୍ୟମାନେ କର୍ମଠ ହୋଇଥିବାରୁ ଆର୍ଥନୈତିକ ପ୍ରଗତିର ଏକ ମାଧ୍ୟମ ରୂପେ କୃଷିର ପରମ୍ପରା ସୃଷ୍ଟି ହେଲା । ପ୍ରତ୍ୟେକ ପରିବାରର ନିଜ ଅଧିକାରରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଚାଷ ଜମି ରହିଥିଲା । ଶସ୍ୟ ଉତ୍ପାଦନରେ ବୃଦ୍ଧି ଓ ଗୋସମ୍ପଦର ମଙ୍ଗଳ ପାଇଁ ବୈଦିକ ସ୍ତୋତ୍ର ଆବୃତ୍ତି କରାଯାଉଥିଲା । ମୌର୍ଯ୍ୟ ଯୁଗରେ ଜଳସେଚନର ବିକାଶ ପାଇଁ ଗୁରୁତ୍ଵ ଦିଆଯାଇଥିଲା । ଗୁପ୍ତଯୁଗରେ ଚାଷଜମିକୁ ପରିବାରର ସବୁଠାରୁ ଅଧିକ ମୁଲ୍ୟବାନ ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା । ଏହିପରି ଭାବେ ବହୁଦିନ ଧରି କୃଷିକୁ ବହୁ ସଂଖ୍ୟକ ଭାରତୀୟ ଜୀବିକାନିର୍ବାହର ପନ୍ଥା ରୂପେ ଗ୍ରହଣ କରିଛନ୍ତି ।

(ଖ) ପଶୁପାଳନ

କୃଷି ଭଳି ପଶୁପାଳନ ମଧ୍ୟ ଭାରତରେ ଏକ ଆର୍ଥନୀତିକ ପନ୍ଥାଭାବରେ ପରମ୍ପରା ସୃଷ୍ଟି କରିଛି । ସିନ୍ଧୁ ସଭ୍ୟତାର ଅଧିବାସୀଗଣ ଷଣ୍ଢ, ବଳଦ, ମହିଁଷି, ମେଣ୍ଢା, ଘୁଷୁରୀ, କୁକୁର, ହାତୀ ଓ ଓଟ ପାଳନ କରୁଥିଲେ । ବୈଦିକ ଯୁଗରେ ଆର୍ଯ୍ୟମାନେ ଗୋପାଳନ ଓ ଗୋସମ୍ପଦର ସୁରକ୍ଷାପ୍ରତି ଅତ୍ୟନ୍ତ ଆନ୍ତରିକତାର ସହିତ ଦୃଷ୍ଟି ଦେଉଥିଲେ । ଗୋହତ୍ୟା ଓ ଗୋମାଂସ ଭକ୍ଷଣକୁ ନିଷିଦ୍ଧ କରାଯାଇଥିଲା । ଜନବସତି ଠାରୁ ଦୂରରେ ଗ୍ରାମର ବାହାରେ ଗୋଚର ଜମି ଚିହ୍ନିତ କରାଯାଇଥିଲା । ବୈଦିକ ଯୁଗରେ ଘୋଡା, କୁକୁର, ଗଧ, ଛେଳି ଓ ମେଣ୍ଢା ମଧ୍ୟ ପାଳିତ ହେଉଥିଲା । ଚାଷ କାର୍ଯ୍ୟ, ପରିବହନ, ଯୁଦ୍ଧ, କ୍ରିଡା, ଶତ୍ରୁ ବା ଅପରାଧୀର ସ୍ଥାନକୁ ଖୋଜି ବାହାର କରିବା କାର୍ଯ୍ୟ ତଥା କେତେକ ପଶୁଙ୍କ ମାଂସରୁ ଖାଦ୍ୟ ପ୍ରସ୍ତୁତ କରିବାପାଇଁ ପଶୁପାଳନର ଗୁରୁତ୍ଵ ଉପଲବ୍ଧି କରି ଭାରତରେ ବହୁଦିନରୁ ଏହା ଅନ୍ୟ ଏକ ଜୀବିକା ନିର୍ବାହ ପନ୍ଥା ରୂପେ ଗ୍ରହଣ କରାଯାଇଛି ।

(ଗ) କୁଟୀର ଶିଳ୍ପ

ଯୁଗ ଯୁଗ ଧରି କୁଟୀର ଶିଳ୍ପ ଭାରତରେ ଏକ ଅର୍ଥନୈତିକ ପରମ୍ପରା ସୃଷ୍ଟି କରିଛି । ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର, ଓ ଧାତୁ, ଚମଡା ଓ ତନ୍ତକାମ ପରବର୍ତ୍ତୀ ବୈଦିକ ଯୁଗରେ ଉନ୍ନତ ଧରଣର ମାତିପାତ୍ର ଓ ଲୁହା ନିର୍ମିତ ଉପକରଣ, ବେତକାମ, ଲୁଗାରଙ୍ଗ କାମ, ସୂତା କାରୁକାର୍ଯ୍ୟ ପ୍ରଭୃତି ଭାରତରେ କୁଟୀର ଶିଳ୍ପ ପରମ୍ପରାର ଏକ ଦୃଢ ଭିତ୍ତି ସ୍ଥାପନ କଲା । ସେ ସମୟରୁ ଅବିରତଭାବେ କୁଟୀର ଶିଳ୍ପର ପ୍ରଗତି ଘଟି ଆଜି ଭାରତୀୟ ସମାଜରେ ଏହା ଏକ କୌଳିକ ବୃତ୍ତି ହୋଇଛି । ଭାରତର କୁଟୀର ଶିଳ୍ପ ଅନ୍ତର୍ଭୁକ୍ତି ମାଟି, ପଥର, କାଠ ଓ ଶିଙ୍ଗର ମୂର୍ତ୍ତି, ପାତ୍ର ଓ ସାଜସଜା ଉପକରଣ ସୁନା ରୁପାର ଅଳଙ୍କାର ଓ ତାରକାସୀ କାମ; ବିଭିନ୍ନ ଧାତୁରେ ନିର୍ମିତ କୃଷି, ଶିଳ୍ପ ଓ ଗୃହରେ ବ୍ୟବହୃତ ଉପକରଣ; କନା ଓ ସୂଚୀ କାର୍ଯ୍ୟର ସାଜସଜା ସାମଗ୍ରୀ; ଚମଡା କଷଣ ଓ ରଙ୍ଗଲଗାଇବା; ଲୁଗା ସିଲେଇ କରିବା; ବାଉଁଶ, ଛତା, ବେତ ଓ କତାରେ ନିର୍ମିତ ଦୈନଦିନ ବ୍ୟବହାର ସାମଗ୍ରୀ; ହସ୍ତତନ୍ତରୁ ପ୍ରସ୍ତୁତ ଶାଢି, ଚାଦର, ଧୋତି ଓ ଗାମୁଛା ତଥା ଆଚାର, ବଡି, ପାମ୍ପଡ, ଫଳରସ, ଚଟଣି, ଜାମ, ଜେଲି ପ୍ରଭୃତି ଖାଦ୍ୟଦ୍ରବ୍ୟର ପ୍ରସ୍ତୁତି ଦେଶର ବିଭିନ୍ନ ଅଞ୍ଚଳ ଓ ଅନେକ ବିଦେଶ ରାଷ୍ଟ୍ରରେ ଚାହିଦା ବୃଦ୍ଧି କରି ଆର୍ଥନୈତିକ ପ୍ରଗତିରେ ଏକ ପରମ୍ପରା ସୃଷ୍ଟି କରିଛି ।

(ଘ) ବାଣିଜ୍ୟ

ଭାରତର ବାଣିଜ୍ୟ ଅତି ପ୍ରାଚୀନ ଓ ମୂଲ୍ୟବାନ ପରମ୍ପରା । ସିନ୍ଧୁ ସଭ୍ୟତା ସମୟରେ ବନ୍ଦର ନିର୍ମାଣ ଓ ବହିର୍ଦେଶ ସହିତ ବାଣିଜ୍ୟ; ବୈଦିକ ଯୁଗରେ ଆଭ୍ୟନ୍ତରୀଣ ବାଣିଜ୍ୟ; ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଧିରେ ଆନ୍ତର୍ମହାଜନପଦ ବାଣିଜ୍ୟ; ପୌରାଣିକ ଯୁଗରେ ଉଭୟ ସ୍ଥଳପଥ ଓ ଜଳପଥରେ ଆଭ୍ୟନ୍ତରୀଣ ବାଣିଜ୍ୟ; ମୌର୍ଯ୍ୟଯୁଗରେ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ର ଓ ପୋତାଶ୍ରୟ ନିର୍ମାଣ ଏବଂ ସାମୁଦ୍ରିକ ବାଣିଜ୍ୟର ବିକାଶ; ଗୁପ୍ତଯୁଗରେ ଉଭୟ ଆଭ୍ୟନ୍ତରୀଣ ଓ ବହିର୍ଦେଶ ବାଣିଜ୍ୟର ଦ୍ରୁତ ପ୍ରଗତି ଏବଂ ପ୍ରାଚୀନ ଯୁଗରେ ବିଭିନ୍ନ ଏସୀୟ ଦେଶ ସହିତ ଓଡିଶାର ନୌବାଣିଜ୍ୟ ଭାରତରେ ଏକ ଦୃଢ ବାଣିଜ୍ୟିକ ପରମ୍ପରା ସୃଷ୍ଟି କରିଛି । ସୁଲତାନୀୟ, ମୋଗଲ ଓ ଇଂରେଜ ଶାସକମାନଙ୍କ ଦ୍ଵାରା ଏହି ପରମ୍ପରା ଅବ୍ୟାହତ ରହିଥିଲା । ପାଶ୍ଚାତ୍ୟ ଦେଶଗୁଡିକ ଭାରତର ଏହି ପରମ୍ପରାଦ୍ଵାରା ଆକୃଷ୍ଟ ହୋଇ ନିଜ ଦେଶର ବ୍ୟାବସାୟିକ ଉନ୍ନତି ଉଦ୍ଦେଶ୍ୟରେ ଭାରତରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ । ସ୍ଵାଧୀନତା ପରେ ଭାରତ ପୂର୍ବକାଳର ବାଣିଜ୍ୟିକ ବିକାଶକୁ ଭିତ୍ତିକରି ଆର୍ଥିକ ପ୍ରଗତିରେ ବାଣିଜ୍ୟର ଗୁରୁତ୍ଵ ବୃଦ୍ଧି କଲା ।

(ଙ) ଗ୍ରାମ୍ୟ ଅର୍ଥନୀତି

ଗ୍ରାମ୍ୟ ଅର୍ଥନୀତି ଭାରତର ଏକ ବିଶିଷ୍ଟ ଆର୍ଥନୀତିକ ପରମ୍ପରା । ବୈଦିକ ସଭ୍ୟତାରେ ଗ୍ରାମ ହିଁ ଆର୍ଥିକ ବିକାଶର ମୂଳ କେନ୍ଦ୍ର ଥିଲା । ଗ୍ରାମର ଆର୍ଥିକ ବିକାଶରେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ସେ ସମୟରୁ ଆଜି ପର୍ଯ୍ୟନ୍ତ ଭାରତୀୟମାନଙ୍କର ବିଶ୍ଵାସ ରହି ଆସିଛି । ବୈଦିକ ଯୁଗରେ ପ୍ରତ୍ୟେକ ଗ୍ରାମରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ଵ ଦିଆଯାଇ ଆର୍ଥନୀତିକ ପ୍ରଗତି କରାଯାଉଥିଲା । ସେ ସମୟର ଶିକ୍ଷାନୁଷ୍ଠାନ ଗୁରୁକୁଳ ଗୁଡିକରେ ଏହି ବିଷୟଗୁଡିକର ବୈଷୟିକ ଶିକ୍ଷା ଦିଆଯାଉଥିଲା । ପ୍ରାକମୌର୍ଯ୍ୟ ଯୁଗରେ ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯାଇଥିଲା । ଚାଷୀକୁ ଜମିର ମାଲିକାନା ସ୍ଵତ୍ଵ ଦିଆଯାଉଥିଲା । ଆଜିର ଭାରତୀୟ ଅର୍ଥନୀତିରେ ପୁରାତନ ସମୟର ଆର୍ଥନୀତିକ ଉପାଦାନ ଓ ପଦ୍ଧତି ସ୍ପଷ୍ଟ । ଆଜିର ଅର୍ଥନୀତି ମଧ୍ୟ ଗ୍ରାମ୍ୟ ଅର୍ଥନୀତି ଆଧାରରେ ନିର୍ଦ୍ଧାରିତ ଏବଂ ଏଥିରେ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ପ୍ରତିଫଳିତ ।

ଉପରଲିଖିତ ବର୍ଣ୍ଣନାରୁ ପ୍ରତ୍ୟେକ କ୍ଷେତ୍ରରେ ଥିବା ଭାରତୀୟ ପରମ୍ପରାର ପ୍ରାଚୀନତା ଓ ନିରବଚ୍ଛିନ୍ନତା ସୁସ୍ପଷ୍ଟ । ଭାରତୀୟ ପରମ୍ପରା ଭାରତକୁ ଏକ ସ୍ଵତନ୍ତ୍ର ପରିଚିତ ପ୍ରଦାନ କରିଛି । ଏବଂ ଏହି ପରମ୍ପରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କୁ ସଂଗଠିତ, ଶୃଙ୍ଖଳିତ ଓ ଏକତ୍ରିତ କରିପାରିଛି । ସୁଖର କଥା ଯେ ଭାରତରେ ସାମାଜିକ ଓ ବୈଜ୍ଞାନିକ ଶିକ୍ଷାର ଉନ୍ନତି ହେବା ଫଳରେ ପୁରାତନ କାଳରୁ ପ୍ରଚଳିତ କେତେକ କୁସଂସ୍କାର, ଅନ୍ଧବିଶ୍ଵାସ, ଧର୍ମାନ୍ଧତା ଓ ସାମ୍ପ୍ରଦାୟିକତା ଧୀରେ ଧୀରେ ଲୋପ ପାଉଛି ।

ଆଧାର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା