କବି ପରିଚୟ ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଅନନ୍ତ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ସାମ୍ୟବାଦୀ ଚିନ୍ତାଧାରାର କବିତା ରଚନା ପାଇଁ 'ନବଯୁଗ ସାହିତ୍ୟ ସଂସଦ' ଜରିଆରେ ଯେଉଁ ଆନ୍ଦୋଳନ ହୋଇଥିଲା ତହିଁରେ ସେ ଅଂଶ ଗ୍ରହଣ କରିଥିଲେ । ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଂଗୀତ ରୂପେ ଏହି କବିତାଟି ଗାନ କରାଯାଇଥିଲା । ରକ୍ତ ଶିଖା, ଛାଇରେ ଛିଟା, ଅଲୋଡ଼ାଲୋଡ଼ା, ଅବାନ୍ତର, କିଞ୍ଚିତ ଆଦି କବିତା ସଂକଳନ ତାଙ୍କ କାବ୍ୟକୃତିର ସାର୍ଥକ ପରିଚୟ । 'ଅବାନ୍ତର' କବିତା ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କୃତ । ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ଏହି କବିତାର ଅନ୍ତଃସ୍ଵର । ପଦ୍ୟ ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନହରା, ବକ୍ଷ ଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକଧାରା | ୦ | ଛିନ୍ନ କରରେ ବନ୍ଧନରାଜି କ୍ରନ୍ଦନ ହେଉ ଶେଷ, ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଶତ ଦେଶ । ମହାମାନବର ଶଙ୍ଖ ଶବଦେ ଶମୁରେ ଦୁଃଖ ଜ୍ଵାଳା ଜାଗ ବନ୍ଧନହରା |୧| ‘ମରଣ ଦୁଆରେ ଚରଣ ଅରପି ଗାଅରେ ଅମର ଗାନ, ପୋଛିଦିଅ ଆଜି ମାନବ ଶିରମୁଁ ସଂଚିତ ଅପମାନ, ଲଂଘି ବନାନୀ ଶୈଳ। ସାଗର ଚୂରରେ ତିମିର କାରା । ୨। ମରୁ ପଥେ ପଥେ ନିର୍ଝର ସୃଜି ଯାତ୍ରା କର ହେ କର, ସ୍ପନ୍ଦନ ବହି ଅନ୍ତରେ କୋଟି ପ୍ରଦୀପ ଉଚ୍ଚେ ଧର । ଶଙ୍କିତ ହେଉ କଂପିତ ପ୍ରାଣେ ଚନ୍ଦ୍ର ତପନ ତାରା | ୩ | ସନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର, ସମ୍ମୁଖେ ତବ କୁହେଳି ରଚଇ ମୋହ ମମତାର ନୀର । ଭିନ୍ନ କରି ସେ ତନ୍ଦ୍ରା-ପରଶ ହସାଅ ଭୂବନ ସାରା ।୪। ଚିରି ଅତୀତର ଜୀର୍ଣ୍ଣ ଜୀବନ ଜାଗା ଆହେ ଭବିଷ୍ୟତ, ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ ପୀଡ଼ନର ପରବତ । ଭାଜି ପଡ଼ୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା, ଜାଗ ବନ୍ଧନହର । ଶବ୍ଦାର୍ଥ ଶବ୍ଦ ଅର୍ଥ ବନ୍ଧନହରା ସକଳ ପ୍ରକାରର ବନ୍ଧନରୁ ମୁକ୍ତ ହୋଇଥିବା । ଶୋଣିତ ରକ୍ତ ଛିନ୍ନ ଚିଣ୍ଡେଇବା ଲୁପ୍ତ ଲୋପ ପାଇଥିବା ଶମୁ ପ୍ରଶମିତ ହେଉ, କମିଯାଉ ଅମର ଗାନ ଚିରନ୍ତନ ଗୀତି ଶିରସୁଁ ମୁଣ୍ଡରୁ ସ୍ପନ୍ଦନ ଶିହରଣ, କମ୍ପନ ଶଙ୍କିତ ଭୟଭୀତ ତନ୍ଦ୍ରା ନିଦ୍ରା ଜୀର୍ଣ୍ଣ ଦୁର୍ବଳ ସ୍ୟନ୍ଦନ ରଥ ଅର୍ଗଳ ବନ୍ଧନ (ଯୂପ) ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା