ରବି ପଟ୍ଟନାୟକ, ଜଣେ ଜଣାଶୁଣା ଓଡ଼ିଆ କଥାକାର ଥିଲେ । ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ଵ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଜୀବନୀ ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ,ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ଵରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ରଚନାବଳୀ ଅସମାଜିକର ଡାଏରୀ(୧୯୬୪) ଅନ୍ଧଗଳିର ଅନ୍ଧକାର(୧୯୭୨) ରାଗତୋଡି(୧୯୭୯) ବହୁରୂପୀ(୧୯୭୯) ହିରଣ୍ୟଗର୍ଭ(୧୯୮୨) ଗଳ୍ପ(୧୯୮୨) ବିଷୁବରେଖା(୧୯୮୩) ରାଜାରାଣୀ(୧୯୮୭) ବନ୍ଧ୍ୟାଗାନ୍ଧାରୀ(୧୯୮୮) ଅମରିଲତା(୧୯୯୦) ବିଚିତ୍ରବର୍ଣ୍ଣା(୧୯୯୧) ଛାୟା ପୁତ୍ରର କାଳ(୧୯୯୧) ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ(୧୯୯୨) ପ୍ରେମ ଓ ପ୍ରତିମା(୧୯୯୩) ମେଘମହ୍ଲାର(୧୯୯୫) ଅବିନଶ୍ଵର(୧୯୯୫) ପ୍ରଜାପତିର ଘର(୧୯୯୬) ଗଳ୍ପ ସମଗ୍ର ୧ମ ଭାଗ(୨୦୦୮) ଗଳ୍ପ ସମଗ୍ର ୨ୟ ଭାଗ(୨୦୧୦) ପୁରସ୍କାର ଓ ସମ୍ମାନ ବିଷୁବ ପୁରସ୍କାର ଧରିତ୍ରୀ ସମ୍ମାନ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ହିରଣ୍ୟଗର୍ଭ ପାଇଁ) - ୧୯୮୪ ସାରଳା ପୁରସ୍କାର - ୧୯୯୧ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨ ଭୁବନେଶ୍ଵରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ଵର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ । ଆଧାର –https://or.wikipedia.org/s/r8v